ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : ଓଡି଼ଶା ବିକାଶର ସାଥୀ ହେବ ସିଙ୍ଗାପୁର । ମେକ ଇନ ଓଡି଼ଶା-2025ର ପ୍ରଥମ କଣ୍ଟ୍ରି ପାର୍ଟନର ହେବ ସିଙ୍ଗାପୁର । ତେଣୁ ଆସନ୍ତା ଜାନୁଆରୀ ମାସରେ ଓଡି଼ଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶାନମୁଗରଟନମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ରାଷ୍ଟ୍ରଦୂତ ସିମନ ୱଙ୍ଗ ୱାଇ କୌନ ।
ଜାନୁଆରୀରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା :
ଜାନୁଆରୀରେ ମେକ ଇନ ଓଡ଼ିଶା-2025 । ଏହା ପୂର୍ବରୁ ଦେଶ ତଥା ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡି଼ଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦିଲ୍ଲୀ ଓ ମୁମ୍ବାଇ ପରେ ଗତମାସରେ ସିଙ୍ଗାପୁର ଗସ୍ତରେ ଯାଇଥିଲା ଓଡ଼ିଶା ଟିମ । ଓଡି଼ଶା ପ୍ରତିନିଧି ଦଳ ସିଙ୍ଗାପୁର ସରକାରଙ୍କ ମନ୍ତ୍ରୀ ଓ ବିଭିନ୍ନ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତର ମାସକ ମଧ୍ୟରେ ଏକ ସକରାତ୍ମକ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁର ‘ମେକ ଇନ ଓଡିଶା 2025’ର ପ୍ରଥମ କଣ୍ଟ୍ରି ପାର୍ଟନର ହେବ ବୋଲି ସୂଚନା ମିଳିଛି । ଓଡି଼ଶାରେ ନିବେଶ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସିଙ୍ଗାପୁର ଇଚ୍ଛା ପ୍ରକାଶ କରିଛି । ଏହି କ୍ରମରେ ଜାନୁଆରୀରେ ଭାରତ ଗସ୍ତରେ ଆସୁଥିବା ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶାନମୁଗରଟନମ ଓଡି଼ଶା ଆସିବେ ।
ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି:
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ସିଙ୍ଗାପୁର ରାଷ୍ଟ୍ରପତି ଜାନୁଆରୀରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଓଡି଼ଶା ଗସ୍ତରେ ଆସିବାକୁ ମୁଖ୍ୟମନ୍ତ୍ରୀ ଗତ ମାସରେ ସିଙ୍ଗାପୁର ଗସ୍ତରେ ଥିବାବେଳେ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁର ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବାକୁ ସହମତି ପ୍ରକାଶ କରିଥିବା ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଷ୍ଟ୍ରଦୂତ ସିମନ ୱଙ୍ଗ ୱାଇ କୌନ ସୂଚନା ଦେଇଛନ୍ତି । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାବେଳେ ସିମନ ଓଡି଼ଶା ସରକାରଙ୍କୁ ଏନେଇ ଅବଗତ କରିଛନ୍ତି ।