ଷ୍ଟାରଓଡିଶାନ୍ୟୁଜ (ଯାଜପୁର) :ରାଜନୀତିର ପଶାପାଲିରେ ଜଳୁଛି ଯାଜପୁର । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଆକ୍ରମଣ ମାମଲା ଏବେ ଜୋର ଧରିଛି । ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି ଏହି ଆକ୍ରମଣ ମାମଲା । କାରଣ ଲିକୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଫସିଛନ୍ତି ବିଜୁ ଜନତା ଦଳର ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ । ମାମଲା ଦିନକୁ ଦିନ ସରଗରମ ହେଉଥିବା ବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ତେବେ କ୍ରାଇମବ୍ରାଞ୍ଚ ଯାଜପୁରରେ ପହଞ୍ଚି ଖୋଳତାଡ଼ଆରମ୍ଭ କରିସାରିଛି ।
ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁରରେ ପହଞ୍ଚଇଛି । ରାତିରେ ଟାଉନ ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀଙ୍କୁ ଭେଟିଥିଲା ଏହି କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ଆକ୍ରମଣ ହୋଇଥିବା ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରିବ ବୋଲି ଜାଣିବାକୁ ମିଳିଛି । ସେପଟେ ଆଜି ବିଧାୟକଙ୍କ ପିଏସଓଙ୍କ ବୟାନମଧ୍ୟ ରେକର୍ଡ କରାଯିବ । ଏଡିଜି ବିନୟତୋଷ ମିଶ୍ରଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ସ୍ପେସାଲ ଟିମ୍ । ଏହି ଟିମ୍ ରେ ଏସପି, ଡିଏସପି ରାଙ୍କର ଅଧିକାରୀଙ୍କୁ ସାମିଲ କରାଯାଇଛି । ତେବେ କ୍ରାଇମବ୍ରାଞ୍ଚର ହସ୍ତକ୍ଷେପ ପରେ ଖୁବଶୀଘ୍ର ମାମଲାର ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି । ଏହି ମାମଲା ପରେ ଜିଲ୍ଲାରେ ଶହଶହ ପୋଲିସ ଛାଉଣୀ ହୋଇ ଯାଇଥିଲେ ବି ଆକ୍ରୋଶର ନିଆଁ ଭିତରେ କୁହୁଳୁ ଥିବାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି । ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ଏଭଳି ୩ ଟି ଏତଲା ଉପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।