ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି ଏବଂ ଏହାର ଦୁଇ ଦିନ ପରେ ଆଇପିଏଲ୍ ୨୦୨୫ ସିଜନର ମେଗା ଅକ୍ସନ ସାଉଦି ଆରବର ଜୈଦାଠାରେ ଅନୁଷ୍ଠିତ ହେବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅକ୍ସନକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅକ୍ସନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଆଇପିଏଲର ପରବର୍ତ୍ତୀ ସିଜିନର ତାରିଖ ପ୍ରକାଶ ପାଇଛି। ଆଜ୍ଞା ହଁ, ଆଇପିଏଲ୍ ୨୦୨୫ ସିଜିନ୍ କେବେ ଆରମ୍ଭ ହେବ ଏବଂ ଏହା କେତେ ଦିନ ଚାଲିବ ତାହା ପ୍ରକାଶ ପାଇଛି । IPL 2025 ସିଜିନ ପୂର୍ବ ସିଜିନ୍ ତୁଳନାରେ ବହୁତ ଶୀଘ୍ର ଆରମ୍ଭ ହେବ । ଏକ ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ସିଜିନ୍ ମାର୍ଚ୍ଚ ୧୪ ରୁ ଆରମ୍ଭ ହେବ ଏବଂ ଏହି ଟୁର୍ନାମେଣ୍ଟ ମେ ୨୫ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରେ ତୁରନ୍ତ ଟୁର୍ନାମେଣ୍ଟ ଆରମ୍ଭ ହେବ । ମାର୍ଚ୍ଚ ୯ ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଖେଳାଯିବ ।
ବିସିସିଆଇ ସମସ୍ତ ଆଇପିଏଲ୍ ଫ୍ରାଞ୍ଚାଇଜ୍କୁ ଏକ ଇମେଲ୍ ପଠାଇଛି, ଯେଉଁଥିରେ ଆଇପିଏଲ୍ ୨୦୨୫ ସିଜିନର ତାରିଖ ପ୍ରକାଶ ପାଇଛି। କେବଳ ପରବର୍ତ୍ତୀ ସିଜିନ ନୁହେଁ, ଏହା ପରେ ଅନ୍ୟ ଦୁଇଟି ସିଜିନ୍, ୨୦୨୬ ଏବଂ ୨୦୨୭ ର ତାରିଖ ପ୍ରକାଶ ପାଇଛି । ଯଦିଓ ରିପୋର୍ଟରେ କୁହାଯାଇଛି ଯେ ବୋର୍ଡ ସେମାନଙ୍କୁ କେବଳ ଟୁର୍ନାମେଣ୍ଟର ୱିଣ୍ଡୋ ବୋଲି କହିଛି, କିନ୍ତୁ ସମାନ ତାରିଖରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ ବୋଲି ବିଶ୍ୱାସ କରାଯାଉଛି। ୨୦୨୬ ସିଜିନ ମାର୍ଚ୍ଚ ୧୫ ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ, ୨୦୨୭ ସିଜିନ ମଧ୍ୟ ମାର୍ଚ୍ଚ ୧୪ ରୁ ଆରମ୍ଭ ହୋଇ ୩୦ ମେ ପର୍ଯ୍ୟନ୍ତ ଚାଲିବ ।